Unknown

 

 

 

 

 

 

 

 

 

 

 

ତାରୁଣ୍ୟ

ବିନୋଦ ରାଉତରାୟ

 

 

 

 

 

 

 

 

 

 

 

ତମସ୍ଵପ୍ନ ଭୁଲିବାଟା ସ୍ଵପ୍ନ ଏକ ବୋଲି ମନେହୁଏ

ବାରମ୍ଵାର ତମ ମୁହଁ ହସି ହସି ହୃଦପଟେ ଉଏଁ ।

Image

 

ସ୍ମରଣିକା :–

 

ମୋର ପୂଜନୀୟ ଅଧ୍ୟାପକ ଶ୍ରୀଯୁକ୍ତ ରାମକିଂକର ବେଜ୍ ଅନୁଗ୍ରହ କରି ପ୍ରଚ୍ଛଦ ଚିତ୍ରଟି ଆଙ୍କିଦେଇଚନ୍ତି । ତାଙ୍କର ଆନ୍ତର୍ଜାତିକ ସିଦ୍ଧି ଏ କାବ୍ୟ-ସଞ୍ଚୟନକୁ ସୁସମୃଦ୍ଧ କରିଚି ।

 

“ସମସାମୟିକ ଓଡ଼ିଆ ପ୍ରେମ କବିତା”ର ସଂପାଦକ ଦ୍ଵୟ ‘ଚଉରାଳିଶ’ କବିତାଟି ତାଙ୍କର ସଂକଳନରେ ସ୍ଥାନ ଦେଇଛନ୍ତି । ଅଧ୍ୟାପକ ବନ୍ଧୁ ଜାନକୀ ମହାନ୍ତି ତାଙ୍କର “ଓଡ଼ିଆ ପ୍ରେମ କବିତା” ସଂକଳନ ପାଇଁ ତୃତୀୟ କବିତାଟି ନିର୍ବାଚିତ କରିଚନ୍ତି । ଭାରତ ସରକାର ୧୯୫୬ ମସିହାର ଶ୍ରେଷ୍ଠ ଓଡ଼ିଆକବିତା ମଧ୍ୟରେ ଏକବିଂଶ କବିତାକୁ ସ୍ଥାନ ଦେଇଚନ୍ତି ।

 

କବିତାଗୁଡ଼ିକର କାଳ ଓ ପରିବେଶ ମଧ୍ୟରେ ଐକ୍ୟନଥିଲେ ମଧ୍ୟ, କେବଳ ଭାବଗତ ଐକ୍ୟକୁ ସମ୍ଵଳ କରି ଏକାଠି କରାଯାଇଚି । ଅଧିକାଂଶ କବିତା ଗତଦଶବର୍ଷ ମଧ୍ୟରେ ଓଡ଼ିଶାର ପ୍ରାୟସବୁ ଶ୍ରେଣୀର ପତ୍ରିକାରେ ସ୍ଥାନ ପାଇଚି ।

 

ଆଜି ମୋର ସେ ସମସ୍ତ ସ୍ନେହୀ ଓ ସହଯୋଗୀ ବନ୍ଧୁମାନଙ୍କୁ ବିନମ୍ରଚିତ୍ତରେ ସ୍ମରଣ କରୁଚି ।

 

ଶ୍ରୀପଞ୍ଚମୀ

ବିନୀତ

୨୯।୧।୬୩

ବିନୋଦ ରାଉତରାୟ

 

ଏକ

 

ନିରାଶାର କୋଳେ ବାର ବାର ଆଶା କମୁଚି

ଚାରି ପାଖେ ମୋର ଜମାଟ କାଳିମା ଜମୁଚି ।

ତଥାପି ଅମୀୟ ମଣେ ମୁଁ ସୁଲଭ ଜହରେ

ତଥାପି ବୁଡ଼େ ମୁଁ ଜୀବନ-ସିନ୍ଧୁ ଲହରେ ।

ପ୍ରେମର ମୁକୁତା ପାତାଳୁ ପାଇବି ବୋଲି ଗୋ

ହଜାଇ ଦେଇଚି ତୁମ ଶିକ୍ଷା ଯେତେ ବୋଲି ଗୋ !

ବଦ୍ଧ ମୁଠାରେ ଉପରକୁ ଆଣି ଫିଟାଏ,

ପାଇଚି କେବଳ ପଙ୍କ କାଦୁଅ ମୁଠାଏ ।

 

ଶାନ୍ତି ନିକେତନ, ୧୯୫୧

 

ଦୁଇ

 

ମୁଁ ସିନା ପାରିନି ପାଶୋରି ତମକୁ, ତମେକି ରଖିଚ ମନେ ?

ଆଜିଏ ଚଇତେ ବନ ଫୁଲ ଫୁଟି ମଉଳି ଯାଉଚି ବନେ,

ଶାଳବିଥି କୋଳୁଁ ଝରିଯାଏ ଫୁଲ, ଝରିଯାଏ ଫୁଲ ମହୁ,

ସକାଳ ଆକାଶେ ଚିତା ଲେଖିଯାଏ କେତେ ଲୁହ କେତେ ଲହୁ,

ସପନେ ସପନେ ତମେ ଆସ ମୋର ଗୋପନରେ କୁହ କଥା

ବିରହ ବିଧୂରା ଅଜାଡ଼ି ଦିଅଗୋ ଅସରା ଦିନର ବଥା,

ଭବିପାରେ ନାହିଁ ଲକ୍ଷ୍ମୀ ଗୋ କିଆଁ ଲୁଚି ଛପି ଆସ ଏତେ,

ଲୁଚି ଛପି କଣ ତମେ ଆସ ଖାଲି ସୁଖ ପାଅ ବୋଲି ମୋତେ ?

 

ଶାନ୍ତି ନିକେତନ, ୧୯୫୧

 

ତିନି

 

ମୁହୂର୍ତକ ଲାଗି ଯଦି ତମେ ଢ଼ାଳି କରୁଣା କଟାକ୍ଷ

କୁହଥରେ ମୋତେ ବନ୍ଧୁ ପ୍ରାଣଭରି ଭଲପାଅ ବୋଲି;

ସେଇହେବ ମୋ ମନର ଏକମାତ୍ର ବିଷଲ୍ୟକରଣୀ,

ସବୁକ୍ଷତ, ସବୁ ଦାହ ଚାହୁଁ ଚାହୁଁ ଯିବଗୋ ବଦଳି ।

ତାହାପରେ ତୁମେ ଯଦି ଭୁଲି ଯାଅ ମୋର ଦେହ ମନ,

ଧୋଇଦିଅ ସ୍ମୃତି ମୋର ଛାତି ତଳୁ ସବୁଦିନ ପାଇଁ

ସେଥିରେ ମୁଁ କେବେହେଲେ ଆପଣାର ହୃତ୍‌ରତ୍ନ ଲାଗି

ଲୁହର କଉଡ଼ି ବୁଣି ଦିନୁଁ ଦିନ ଦୁଃଖି ହେବି ନାହିଁ ।

କାକର କଣିକା ଯିଏ ହସଦେଲା କଳିକା ଅଧରେ

ପରକ୍ଷଣେ ଯଦି ତାର ମୃତ୍ୟୁହୁଏ ରୁଦ୍ର ରୌଦ୍ର ତାପେ

କୁସୁମ କି ଦୁଃଖ କରେ ? ସେକି ବୁଣେ ଲୁହର କଉଡି ?

ବ୍ୟଥିତ ହୃଦୟ ଘେନି ସିଏ କଣ ଦୀର୍ଘ ଶ୍ଵାସ ଚାପେ ?

ତୁମେ ଯେ ପାଇଚ ଭଲ ଏ ଦେହକୁ ଏ ମନକୁ ମୋର

ଗୋଟିଏ ମୁହୂର୍ତପାଇଁ ଅପବିତ୍ର ଧରିତ୍ରୀ-ଅଙ୍ଗନେ;

ସେଇମୋର କୋଟିନିଧି, ସେଇମୋର ଅମୂଲ୍ୟ ସଂପଦ,

ସେଇ ନୀଳମଦ ବିନା ଆଉକିଛି ପଡ଼େ ନାହିଁ ମନେ ।

ଶାନ୍ତି ନିକେତନ, ୧୯୫୧

 

ଚାରି

 

ତୁଟିବ ନାହିଁକି ଗହନ ଗୁମାନତମ

ଫୁଟିବ ନାହିଁକି ଅଧର ମାଣିକ ହାସ

କଜଳ କବରୀ ଫୁଲ ପାଖୁଡ଼ାରେ ଭରି

ଚଞ୍ଚଳପାଦେ ରଚିବ ନାହିଁକି ରାସ ?

ଉଦାସିନୀ ତମ ମୌନ କଣ୍ଠତଟୁ

ଝରିଯିବ କେତେ ସଂଗୀତ ସୁଧାଧାରା

ନରମବାହୁର ନାଗବନ୍ଧନ ତୁଲେ

କେବେଅବା ତମେ ରଚିବ ଗୋପନକାରା ?

ଗୁମରି ଗୁମରି କବି କଳ୍ପନା ଫୁଲ

ନିହାଣ ମୁଗୁରେ କହିଚି ତ କାନେକଥା

ଜଡ଼ ଦେହେ ତମ ଜଗାଇ ଦେଇଚି ଶିରୀ

ବୁକୁ ତଳେ ତଳେ ଦେଇଚି ଅକୁହା ବଥା ।

ଚାରି ଦିଗେ ଆଜି ଜୀବନର କଳରବ

ଉଛୁଳି ଉଠଇ ସାଗର ଜୁଆର ଭଳି

ତଥାପି ମଉନ ଚଟୁଳ ଅଧର ଦୁଇ

ଖୋଲେନି ପାଖୁଡ଼ା ଆଶାର କନକ କଳି ।

 

କାଳିକାପୁର, ୧୯୫୩

 

ପାଞ୍ଚ

 

କଲମରୁ ମୋର କବିତା ସରିଚି ମନରେ ତମର ମରିଚି କଥା,

ନୟନ କୋଣରୁ ଅଶ୍ରୁ ଲିଭିଚି ସଜଳ ହୁଏନି କଜଳ ପତା ।

ସେଦିନର ସେଇ ସୁନା-କଳ୍ପନା ଲତାଇ ଲତାଇ ଆକାଶ ଦେହେ

ଅଗଣନ ତାରା ଫୁଲ ଝାରିଦିଏ ଶରତ ରାତିର ତରଳ ସ୍ନେହେ ।

ଜୀବନର ଯେତେ ସମ୍ଭୋଗ ଶିରୀ ବତୁରି ଯାଇଚି ମରମଗତେ

ଆଉ କାହିଁ ପାଇଁ ମମତା ବଢ଼ଇ ପାଦ ଥାପିବାକୁ ବିଫଳ ପଥେ ?

ନାଗିନୀ ପରାଏ ଆଉକି ଅଗ୍ନି ପୋଡ଼ିବାକୁ ଚାହେଁ ପାଉଁଶମନ

ଧୂଳି ଧୂସରିତ ରାଜପଥ ପରେ ଗୋଧୁଳିର ରଚେ ଆସ୍ତରଣ ।

 

ଶାନ୍ତି ନିକେତନ, ୧୯୫୪

 

ଛଅ

 

ଖରାବେଳ ଗୋଟା କଟାଇ ଦେଲିଣି ଚଇତ ତଳରେ ବସି

ଅଦିନିଆଁ ମେଘ ଝଡ଼ାଇ ଦେଇଚି କେତେଫୁଲ କେତେକସି ।

ବଉଳମାଳରୁ କଅଁଳ ପତର ଚେନା ଚେନା ଛେଇ ଆଣି

ନାଲି ସଡ଼କରେ ବିଛାଇ ଦେଇଚି ଟୋପା ଟୋପା ସିଞ୍ଚି ପାଣି ।

ହଠାତ୍ ଟିକିଏ ଦୂରକୁ ଚାହିଁଲେ ଶାଳବିଥି ତଳେ ତଳେ

ଗୀତଗାଇ ଗାଇ ଉଭାଇ ଯାଉଚି କୁଆଁରୀ କନିଆ ଦଳେ ।

ଚାଲିରେ ଚାଲିରେ ଚହଲି ଉଠୁଚି ଓଦାଅଳତାର ମାଟି

ଚମକ ଦେଉଚି ଆକାଶେ ଆକାଶେ କେଶ ବେଶ ପରିପାଟୀ ।

ଗଳାରେ କାହାର ମାଧବୀର ମାଳା କାନରେ ପଳାଶ କଢ଼ି,

ବେଣୀର ବୃନ୍ତରୁ ଅଶୋକ କୁସୁମ କାହାର ପଡ଼ଇ ଝଡ଼ି ।

ଗୋରଚନା ଗୋରା କପାଳଉପରେ ଶାଳମଞ୍ଜରୀ ଦେଇ

ଅତି ଆଧୁନିକ ଅତି ମନୋରମ ଗହଣା ନାଇଚି କେହି ।

କିଏ ସେ ବୋଳିଚି କେତକୀ ପରାଗ ଶ୍ରୀମୁଖେ ଆଦର କରି

କାହାପଣତରୁ ମୋଟା ବାତିକିର ବଇଭବ ପଡ଼େଝରି ।

ସରୁ ନାଲି ଖରା ଚିକ୍ ଚିକ୍ କରେ ଦେହରେ ମୁହଁରେ ଲାଗି

ମୋ ମନେ ରହିବ ଏଫଗୁ ଗୋଧୂଳି ଜନମେ ଜନମେ ଜାଗି ।

 

ଶାନ୍ତି ନିକେତନ, ୧୯୫୪

 

ସାତ

 

ତମରି ଚଟୁଳ ମୁହଁ ସରୁ ନାକ ପାତଳ ଅଧର

ଭଲଲାଗେ ମୋତେ ଭାରି, ଭଲଲାଗେ କହ ଯେତେକଥା

ପୂର୍ଣ କରିଚି ମୋ ପ୍ରାଣ ତମ ଗଢ଼ା ଛୋଟ ଛୋଟ ଢେଉ-

ଆଲୁଅରେ ହସିଉଠେ, ଅନ୍ଧାରରେ ନୋଇଁ ଦିଏ ମଥା ।

ତମେ ହସି କଥାକହ ତୋଳିରଖେ ଗୋଟି ଗୋଟି କରି

ମନର ଗୋପନ କକ୍ଷେ ସତେଅବା ଅମୂଲ୍ୟ ରତନ

ହୁଏତ ଯା’କୁହ ନାଇଁ ମୁହଁଖୋଲି କହିପାର ନାହିଁ

ଆଖିର ଆକାଶୁ ବୁଝେ ସେ ସବୁ ମୋ କାନ୍ତ ଯଉବନ ।

ମନର ଲହରୀ ହୁଏ ନୟନର ଚପଳ ଚାହାଣୀ

ବାଟଚଲା କଥା ହୁଏ ଅପରୂପ ଅକ୍ଷୟ କବିତା

ନୀରବ ଆକାଶୁଁ ଶୁଣେ ଏକାକୀ ମୁଁ ଗହନ ଅନ୍ଧାରେ

ତମରି ଦୁର୍ଲଭ ବାଣୀ ପ୍ରଣୟର ଅସରନ୍ତି ଗୀତା ।

 

କାଳିକାପୁର, ୧୯୫୪

 

ଆଠ

 

ରାତ୍ରିର ବେଦନା ମୋର ସକାଳର ସୂର୍ଯ୍ୟସ୍ନାତ କଳି

ଆଲୋକେ ଉତ୍ତାପେ ତାର ପ୍ରତିଦଳ ବଳିଷ୍ଠ ସୁନ୍ଦର;

ଗହନ ଅନ୍ଧାର ତଳୁ ଅନାଘ୍ରାତ ହିମବାହୀ ପ୍ରେମ

ସୌର କର ସ୍ପର୍ଶେ ସତେ ଖୋଜିବୁଲେ ସାଗର ସଙ୍ଗମ !

ଅଶ୍ରୁଝରେ ଅଶ୍ରୁମରେ କର୍ମଶୀଳ ଜୀବନ ସଂଗ୍ରାମେ,

ବ୍ୟର୍ଥତାରେ ଭରିଉଠେ ସନ୍ଧ୍ୟାକାଳେ ଆଶାମୁଖୀ ବୀଣା

ରାତ୍ରିର ଡେଣାରେ ଦେଖେ ନାହିଁ ଆଉ ପୂର୍ବଚପଳତା

ଏତେଦିନେ ମନେହୁଏ ସତେକଣ ସିଏ ପ୍ରେମହୀନା ?

 

ଶାନ୍ତି ନିକେତନ, ୧୯୫୪

 

ନଅ

 

ତମେ ଏଇ ପୃଥିବୀର ଶୁଚିମନ୍ତ ଗୌର ପାରିଜାତ

ତମରି ଅଧରେ ହସେ ଶରତର ପାଟଳି-ପ୍ରଭାତ ।

ମୁଁ କେବଳ ମୁଗ୍‌ଧ କବି, ଦେଖ ବେନିନେତ୍ର ପୂର୍ଣକରି

ତମରି ବିଚିତ୍ର ରୂପ, ସୌନ୍ଦର୍ଯ୍ୟର ବିମୋହନ ଶିରୀ ।

 

ଶାନ୍ତି ନିକେତନ, ୧୯୫୪

 

ଦଶ

 

ଖୁଆଇରେ ନାଲିମାଟି, ଆକାଶରେ ନାଲି ନାଲି ମେଘ

ଛୁଇଁଯାଏ ଦିଗସୀମା-ବୁଣିଯାଏ ଅବିରର ଧୂଳି

ପାତଳ ପଣତ ଉଡେ ଶରତର ଶଣଫୁଲ ପରି

ତମ ସୁନାମୁହେଁ ହସେ ଚୂନା ଚୂନା ସୁନେଲି ଗୋଧୂଳି ।

ଛୁଟିର କବିତା ଫୁଟି ଝରିପଡ଼େ କଥାରେ କଥାରେ

ସାଉଁଳି ନେଉଚ ତମେ ଉଠୁଥିବା ସଉତୁଣୀ କେଶ

ସଜାଡ଼ି ନେଉଚ ତମ ଦେହବାସ ହାତର ଅଙ୍ଗୁରୀ

ଭାରି ଭଲଲାଗେ ଏକା ଆଜିକାର ମୃଦୁ ପରିବେଶ !

ତମେ ଗାଅ କେତେ ଗୀତ ଢେଉତାର ଆହୁରି ନିବିଡ଼େ

ମୋ ମନର ବୀଣାତାର ଉଲୁସାଇ ଆପେ ପଡ଼େଝରି

ଆକାଶରେ ଚରିବୁଲେ ମେଘଧେନୁ ଶ୍ୟାମଳି, ଧବଳି

ଜଣାଶୁଣା ଫୁଲେ ଏକ ଭାରିତମ ଚିକଣ କବରୀ ।

ଦୂର ତାଳବଣ ତଳେ କେରି କେରି ସୁନାର ଫସଲ

ରୂପକଥା ଗେଣ୍ତାଳିଆ ଉଡ଼ିଯାଏ ଝାଡ଼ିଦେଇ ପର

ରୂପେଲି ପୋଖରୀ ତୁଠେ ଫୁଟିଲାଣି ଅସୁମାରି କଇଁ

ଅନ୍ଧାର ବଦଳେ ପାଟ ଉଠଏବେ, ଚାଲଯିବା ଘର ।

ଆମେ ଦୁହେଁ ବସିଥିଲେ କଳ୍ପନାରେ ପରିଚିତ ଦେହ

ନିକଟୁ ନିକଟତର ମଥାପରେ ବିପୁଳ ଆକାଶ

ଗୋଟିଏ ମାଟିର ଫୁଲ, ଅନ୍ୟଏକ ଆକାଶର ତାରା,

ଦୁଇଟି ଜୀବନ ମଧ୍ୟେ ଦୀର୍ଘଏକ ଅଶ୍ର ଅବକାଶ ।

 

ଶାନ୍ତି ନିକେତନ, ୧୯୫୫

 

ଏଗାର

 

ଆକାଶରୁ ଝରୁଥିଲା ଅସରନ୍ତି ନୀଳ

ତମେ କିନ୍ତୁ ଚିରିଦେଲ ଜୀବନ ଦଲିଲ ।

ତମେ କିନ୍ତୁ ଝାରିଦେଲ ଫୁଲରୁ ପରାଗ

ପୋଛିଦେଲ ଓଠତଳୁ ସୋହାଗ ସରାଗ ।

ଡେରିଥିଲି ମୁହିଁ କାନ ଶୁଣିବାକୁ କଥା

ଅଭିଶପ୍ତ ଜୀବନର ବିପୁଳ ବାରତା

କେତେ ସ୍ଵପ୍ନ କେତେ ଆଶା ସବୁକରି ଚୂନା

ମାଟିରେ ମିଳାଇଗଲ ମରମର ସୁନା ।

 

କଟକ, ୧୯୫୬

 

ବାର

 

ତମ ପ୍ରେମ ପୂର୍ଣ ହେଉ, ସତ୍ୟ ହେଉ ତମର କାମନା

ତମ ଲାଗି କବିତାରେ ଏଇ ମୋର ଚରମକାମନା,

ମୋ ନୟନ ଶୂକ୍ତି ଭରି ଯେତେ ଯେତେ ମୁକ୍ତା ପଡ଼େ ଝରି

ତମ ଗଳା ମାଳା ହେଉ, ହେଉ ତମ ପୁଷ୍ପିତା କବରୀ ।

ମୋହୃଦୟ ରକ୍ତ ଧାରା ରଞ୍ଜି ଦେଉ ଚାରୁ ପଦ୍ମ ପାଦ

ଶେଷ ଶ୍ଵାସ ସଙ୍ଗେ ଆଜି ଭୁଲିଯାଅ ସକଳ ପ୍ରମାଦ;

ସବୁଠାରୁ ବଡ଼ ତମେ, ବଡ଼ ତମ ରମଣୀର ମନ,

ସହଜ ସ୍ଵଚ୍ଛନ୍ଦ ଗତି, ଶଂକାହୀନ ଅନନ୍ତ ଯୌବନ ।

 

କାଳିକାପୁର, ୧୯୫୬

 

ତେର

 

ଆଜି ମନେ ପଡ଼େ ନାହିଁ ତମ ଦେହ ଲତା

ଭରା ଥିଲା ଯାହା ଚାରୁ କୋମଳ କୁସୁମେ

ଅଧରର ସରୁହାସ ନାଶାର ନିଶ୍ଵାସ

କବରୀର କଳାମାୟା ବିଲୋଳ ଚରମେ ।

ସରୁକଟୀ, ଗୁରୁସ୍ତନ, ଚମ୍ପକ ଆଙ୍ଗୁଳି

ଆଜି ମନେ ପଡ଼େ ନାହିଁ ଗୋଟି ଗୋଟି ଆଉ

ପାଦର ପେଲବ ଗତି, ଭୁରୁର ଭସାଣୀ

ଜୀବନର ଘାଟେ ଘାଟେ ଯୌବନର ଭାଉ ।

ତମେତ ସୁନ୍ଦରୀ ଥିଲ, ଥିଲତ ଯୁବତୀ

ତମ ମନେ ଭରା ଥିଲା ଅସୁମାରି ଆଶା

ଆଜି କିଛି ମନେ ନାହିଁ ଭୁଲି ହୋଇ ଯାଏ

କାନେ କହିଥିଲ ଯେତେ ପ୍ରାଣର ପିପାସା ।

ଭୁଲି ହୁଏ ନାହିଁ କେବେ ସେଇ ଆଖି ଦୁଇ

ନୀଳ ନୀଳ ଡ଼ୋଳା ମୂଳେ ନିରିହ ଚାହାଣୀ,

ଧରଣୀକୁ ଦେଖିବାର ଆଶା ସୁନିବିଡ଼

ମଣିଷକୁ କହିବାର ମରମ କାହାଣୀ ।

ଭୁଲି ମୁଁ ପାରଇ ନାହିଁ ତମ ନୀଳ ଆଖି

କହେ ଯେ ମନର ଭାଷା ତୁନି ତୁନି ଡାକି ।

 

କାଳିକାପୁର, ୧୯୫୬

 

ଚଉଦ

 

ଆଉତ ମିଳିବ ନାହିଁ ସେ ହାତ ଅକ୍ଷର

ଦେଖିବାକୁ ଏ ଆଖିରେ, ଧରିବାକୁ ହାତେ

ଆଉତ ମିଳିବ ନାହିଁ ନୀଳକାଗଜରେ

ସଜୀବ ମନର ଦାବୀ ଅନୁଭୂତି ସାଥେ ।

ବିଦଗ୍‌ଧ ହୃଦୟ ମୋର ଖୋଜି ନାହିଁ କିଛି

କରି ନାହିଁ ତମଠାରୁ ବେଶି କିଛି ଆଶା,

ମଧୁଭରା ବୁକୁ ତଳୁ ଦୁଇ ବୁନ୍ଦାରସ

ପତ୍ର ପୁଟେ କରିଥିଲା କେବଳ ପ୍ରତ୍ୟାଶା ।

ସେଥିଲାଗି ଆଜି ଜୀର୍ଣ ଚିଠିର ପୁଟୁଳି

ସବୁ ଗୋଟି ଗୋଟି ଖୋଲି ଧୂଳି ଝାଡ଼ି ପଢ଼େ

ଯେତେ ଝରି ଝରି ପଡେ ପ୍ରାଣର କୈବଲ୍ୟ

ସେସବୁ ସାଉଁଟିନେଇ ସ୍ମୃତି କୋଠା ଗଢ଼େ ।

ପୁରୁଣା ଚିଠିକୁ ଆଜିକରି ରୋମନ୍ଥନ

ପ୍ରାଣେ ପ୍ରାଣେ ପାଏ ତମ ହୃଦୟ ସ୍ପନ୍ଦନ ।

ଅନଗୋଳ, ୧୯୫୬

 

ପନ୍ଦର

 

ତମକୁ ନେବଣି ଧୋଇ ଶ୍ରାବଣର ବିପୁଳ ପ୍ରବାହ

ତମପରେ ଜମିବଣି କେତେ ପଟୁ କେତେ ବାଲିଗଦା

ତମପରେ ଫୁଟିବଣି ଛୋଟ ଛୋଟ ଅନାମିକା ଫୁଲ

ଛାଇ ହୋଇ ଯାଇଥିବ ସରୁ ସରୁ ଘାସର ପରଦା ।

ବିରାଟ ଆଶାର ଯେତେ ଆବର୍ଜନା ନେଇଥିବ ଧୋଇ

ନଦୀର ମସଣ ଢ଼େଉ, ଚିରନ୍ତନ ବନ୍ୟାର ପ୍ରବାହ

ସହସ୍ର ଫଗୁଣ ପରେ ତମେ ଆଉ ସତ୍ୟବତୀ ନୁହେଁ

ରୂପକଥା କାହାଣୀର ଖାଲି ଏକ ମୂର୍ତିମତୀ ଦାହ ।

ରାଜା ପୁଅ କହୁଥିବ ଡେଇଁ କାଚ କରତର ବାଡ଼

ରାଜା ଝିଅ କାନେ କାନେ ତମକଥା ଚୁପି ଚୁପି କରି

ଉଜ୍ଜ୍ଵଳ ଗହମ ଗାଲେ ଲାଗିଥିବ ଲୋତକର ଛାପ

ଖୋଲି ଖୋଲି ଆସୁଥିବ ଘନିଭୂତ ରାତ୍ରିର କବରୀ ।

 

କଟକ, ୧୯୫୬

 

ଷୋଳ

 

ବେଳେ ବେଳେ ମନେ ଭାବେ ତମେ ମହା ପ୍ରଣୟର ଢ଼େଉ

ଏ ଧରାରୁ, ଏ ମାଟିରୁ ଯୌବନର ମୂଲ୍ୟ ନେଉ ନେଉ

ଲୋଟିଗଲ ଗିରିମୂଳେ, ଝରି ଗଲ ଦରି ଖୋଲେ ଖୋଲେ

ଜୀବନ ସଙ୍ଗୀତଗାଇ, ଉଚ୍ଚାବଚ୍ଚ ଶିଳାପଥ କୋଳେ

ଚୁନା ଚୁନା ହୋଇଗଲ, ଲଘୁ ପକ୍ଷେ ଶୀକର ସମୀର

ତମକୁ ଉଡ଼ାଇ କଲା ଅନୁକ୍ଷଣେ ପାଗଳ, ଅଧୀର ।

ଏକରୁ ଅନେକ ହୋଇ ଅସୀମର କଣ୍ଠେ ଦେଲା ଭାଷା

ତମର ଲାବଣ୍ୟମୟ ଢଳ ଢଳ ପ୍ରାଣର ପିପାସା ।

 

ଚମ୍ପତ୍ତିମୁଣ୍ତା, ୧୯୫୬

 

ସତର

 

ଦିନ ପରେ ଦିନ ଗୋଟି ଗୋଟି ଗଡ଼ିଯାଏ

ପାଣି ସୁଅପରି ତଳକୁ ତଳକୁ ଖାଲି

ବାତାୟନ ପଥେ ନିତି ନିତି ଚାହୁଁଥାଏ

ଆଖି ଆଗେ ନାଚେ ଧୂସର ଉଷର ବାଲି ।

ମନେହୁଏ ମୋର ଲେଉଟି ଆସିବ ତମେ

ଚଇତି ପବନେ ଖୋଲା ବାତାୟନ ତଟେ;

ଲାଜେ ଥରି ଥରି ଭୀରୁ ଦୀପ ଶିଖାଭଳି

ବେଦନା ବିଧୁର ଆନତ ହୃଦୟ ପଟେ ।

ବୃଥାଏ ବାସନା ମନେ ମନେ ନାଚି ଯାଏ

ଦିନୁଁଦିନ ଖାଏ ଛାତିସାରା କରି କ୍ଷତ;

ତମବିନା ଏହା ପାରିବେନି ଜାଣି କେହି

ଲୁଚାଇ ଲୁଚାଇ ବୁଲୁଥାଏ ଅବିରତ ।

 

ଚମ୍ପତ୍ତିମୁଣ୍ତା, ୧୯୫୬

 

ଅଠର

 

ଆଜିଏ ବର୍ଷଣସଂଧ୍ୟା ନୟନରୁ ଲୁହର ଝରଣା

ଝରିଯାଏ ଅବିରତ ଚାହିଁ ରହେ ବାତାୟନ ତଳେ

ମୋ ନୟନେ ବେଶି ନୁହେଁ ଜମିଉଠେ ଦୁଇ ଗୋଟି ବିନ୍ଦୁ

ଦୁଇଟି ମାଣିକ୍ୟ ଭଳି ଆଜିର ଏ ନିଭୃତେ ଚହଲେ ।

ଗୋଟିକରେ ଭାସିଉଠେ ହସ ହସ ତମ ସୁନାମୁହଁ

ଇସତ୍ ଲୋହିତ ନାକ ସୁକୋମଳ ଚଟୁଳଅଧର

ଅପରରେ ଫୁଟିଉଠେ ସ୍ନେହଶିକ୍ତତମରି ହୃଦୟ

ନିତି ଯହିଁ ଝରି ପଡ଼େ ଅସରନ୍ତି ଅମୃତର ଝରା ।

 

ଚମ୍ପତ୍ତିମୁଣ୍ତ, ୧୯୫୬

 

ଊଣେଇଶି

 

ତୁମେ ଆଜି ନାହଁ ମୋର ପ୍ରାଣର ପ୍ରତୀମା;

ତୁମର ସୁବର୍ଣ-ସ୍ଵପ୍ନ ସୁଦୂର ଆକାଶେ

ମିଳାଇଚି ମେଘପକ୍ଷ ଇନ୍ଦ୍ରାୟୁଧ ସମ;

ତୁମର ମୁଖଶ୍ରୀ ମାୟା ବିଚିତ୍ର ବିନ୍ୟାସେ

ଜଳେ: ସ୍ଥଳେ: ପ୍ରତିତରୁ: ପ୍ରତିତୃଣ ଦେହେ

ଅନୁକ୍ଷଣେ ସୃଷ୍ଟି କରେ ଅମ୍ଳାନ ସୁଷମା-

ନିତି ନିରେଖିବି ବୋଲି ନେତ୍ରପୂର୍ଣକରି,

ପତାତୋଳି ମୁଁ ତ ଚାହିଁ ପାରେ ନାହିଁ ଯମା

କ୍ଷଣେ ହେଲେ ଏବିଶ୍ଵରେ । ମୁଦି ହୋଇଯାଏ

ବେନି ଆଖି ଦୁଃଖଭାରେ, ଠିକ୍ ସେତେବେଳେ

ଅନୁଭବ କରେ ତୁମ ପ୍ରୀତିର କମଳ

ଢଳ ଢଳ ମୋମନର ନିଭୃତ ମୃଣାଳେ ।

 

ଚମ୍ପତ୍ତିମୁଣ୍ତା, ୧୯୫୬

 

କୋଡ଼ିଏ

 

ଆଉ ମୋର ମୁକ୍ତି ନାହିଁ, ନାହିଁ ଆଉ ତମର ବିଶ୍ରାମ

ଯେତେଦିନ ରହିଅଛି ଧରଣୀରେ ଦୁଇଗୋଟି ନାମ-

ପ୍ରେମ ଓ ପ୍ରତ୍ୟୟ; ସେତେ ଦିନ ତମେ ଆଉ ମୁଉଁ

ଗୋଟିଏ ଫଗୁଣ ବଧୂ ଅଧରର ଅବିରାମ କୁହୁ…. ।

ସେତେଦିନ ତମେ ମୋର ଏଦେହର ବିଦେହ ସଙ୍ଗିନୀ

ମରମର ତଳେଶୁଣେ ବାର ବାର ନୂପୁର ସିଞ୍ଜିନି

ପ୍ରାଣଭରି ପାଏ ତମ ତନୁମନ ମଦିର ପରଶ

ଦୁଇ ଆଖି ବୁଜି ଦେଇ ଆସ୍ଵାଦଇ ତମ ପ୍ରୀତିରସ ।

ଅଛମୋର ଛାତି ତଳେ ପ୍ରଣୟର ପବିତ୍ର ଅନ୍ଧାରେ

କିପରି କହତ ମୁହିଁ ତମ ସ୍ଵପ୍ନ ଭୁଲିଯାଇ ପାରେ ?

 

ଚମ୍ପତ୍ତିମୁଣ୍ତା, ୧୯୫୬

 

ଏକୋଇଶି

 

ତମରି ସଂପର୍କ ଯଦି ଅତିତୁଚ୍ଛ, ଅତି ଅର୍ଥହୀନ

ତେବେ କିମ୍ପା ଚୁନା ଚୁନା ହୁଏମୋର କ୍ଷୁଦ୍ରହୃଦ ତଳ ?

ତମରି ପ୍ରଣୟ ଯଦି ଚିରକାଳ କ୍ଷଣିକ-ଅଳିକ

ତେବେ କିମ୍ପା ଝରିଯାଏ ଅବାରିତ ନୟନରୁଜଳ ?

ତମେ କେବେ କ୍ଷୁଦ୍ର ନୁହଁ ତମପ୍ରେମ ନୁହେଁ ସଂକୁଚିତ

ସେଥିପାଇଁ ଅନୁକ୍ଷଣେ କରେ ମୋତେ ବିବ୍ରତ, ବ୍ୟଥିତ !

 

ମାନ୍ଦ୍ରାଜ, ୧୯୫୬

 

ବାଇଶି

 

ଜୀବନ ପଣତୁ ଭାବନାର ସୁତାଖିଅ

ଗୋଟି ଗୋଟି ଖୋଲି ନିତି ମୁଁ କବିତା କରେ,

ତମଲାଗି ଭୁଲେ ବିଷାଦ ବା ଅବସାଦ

ପରାଣ ପାତ୍ରେ ମହୁ ଓ ମହକ ଝରେ ।

ତମେ କଣ ସତେ ମୋରଲାଗି ଆଜି ଝୁର

ମୋଲାଗି ଗୋପନେ ନୟନୁଁ ନିଗାଡ଼ ଲୁହ,

ମୋଲାଗି ସଜାଡ଼ ମୋଲାଗି ଉଜାଡ଼ ସବୁ

ଦେହ ଛୁଅଁ ମୋର ସତକରି ଏବେ କୁହ ।

 

ମାନ୍ଦ୍ରାଜ, ୧୯୫୬

 

ତେଇଶି

 

ତମେହିଁ ତପସ୍ୟା ମୋର ଜୀବନର ଚରମ ସାଧନା

ତମଲାଗି ପ୍ରତିଦିନ ରଚେ ମୁହିଁ ପୂଜା ଆରାଧନା ।

ଏଦେହର ଦୀପେଜାଳି ଚିରନ୍ତନ ବ୍ୟଥାର ଆରତୀ

ତମକୁ ଅର୍ଚନାକରେ, ସାଜିଆଣେ ମରୁଆ ମାଳତୀ

ହୃଦୟର ଉପବନେ ସ୍ମୃତିରୂପେ ଯାହା ଫୁଟିଥାଏ

ନୟନରୁ ନୀରଢ଼ାଳି ନିତିତମ ତର୍ପଣ ବଢାଏ ।

ନିତି ମୁଁ ତପସ୍ୟାକରେ ତମଲାଗି ଆକୁଳ କ୍ରନ୍ଦନେ

ବ୍ୟଥାତୁର ମରମର ଅନାବିଳ ଉତପ୍ତ ଦହନେ ।

 

ଅନୁଗୋଳ, ୧୯୫୬

 

ଚବିଶି

 

ଗୋଟିଏ ଫୁଟିଲା ତାରା ଜଳିଉଠେ ଗୋଧୂଳି ଆକାଶେ

ଅବୁଝା ହୃଦୟମୋର ଛୁଟିଯାଏ ସେଇତାରା କୋଳେ

ରିକ୍ତମନେ ଜାଗିଉଠେ ପରିଚିତ ବିପୁଳ ବିଭୂତି

କଥା କହେ ତୁନି ତୁନି ହୃଦୟର ଖୋଲେ ଉପଖୋଲେ ।

ସେଇତାରା ଆଲୁଅରେ ପରିଷ୍କାର ଫୁଟି ଫୁଟି ଉଠେ

ଗୋଟିଏ କରୁଣ ମୁହଁ ଆଖିତଳେ ଅଶ୍ରୁ ଢଳ ଢଳ,

ଗୋଟିଏ ଉଜ୍ଵଳ ନାକ ବେଦନାରେ ଇସତ୍ ଲୋହିତ

ଗୋଟିଏ ହୃଦୟ ବନେ ଥର ଥର ପ୍ରୀତିର କମଳ ।

ଗୋଧୂଳି ଅନ୍ଧାର ତଳେ ଏଇମୋର ତନୁ ହଜିଗଲେ

ହୃଦୟର ଦେବାଳୟେ ସେଇତାରା ପ୍ରେମ ଦୀପଜଳେ ।

 

ଚମ୍ପତିମୁଣ୍ତା, ୧୯୫୬

 

ପଚିଶି

 

ଏଇ କାଠଯୋଡ଼ୀ କୂଳେ ସେଦିନୁ ସେ ନିଦରେ ଶୋଇଚି

ବାଲିର ବିଛଣା ପାରି ଦେହେ ଢାଙ୍କି ବାଲିର ଚାଦର,

ବାଲିର ମୁଚୁଳା ଦେଇ କଳାମେଘି କବରୀ କଡ଼ରେ

ସହି ସହି କେତେ ଖରା, କେତେ ଶୀତ ବରଷା କାକର ।

ଚିର ନିଦ୍ରା ଯାଇଅଛି ତାହାତୁଲେ ଗୋଟିଏ ନାରୀର

ଛନ ଛନ ଦେହଲତା ଅବିନୀତ ନିଟୋଳ ଯୌବନ

ଚଟୁଳ ଅଧର ପୁଟେ ଲାବଣ୍ୟର ଲୋହିତ ମନ୍ଦାର

ଆପଣାର କଲାଭଳି ପ୍ରୀତି ପୂତ ସୁନିପୁଣ ମନ ।

କେଡ଼େ ଦମ୍ଭ ଧରିସିଏ ଖୋଜୁଥିଲା ଗୋଟି ଗୋଟିକରି

ମହା ଜନତାର କୋଳୁ ଆଉ ଏକ ଅନୁରକ୍ତ ଛାତି

ପ୍ରାଣତାର ଲୋଡ଼ୁଥିଲା ପ୍ରାଣଏକ ନିବିଡ଼ ତିମିରେ

ଯାହାରେ ଦେବ ସେ ଢ଼ାଳି ଏଦେହର ସବୁଯାକ ତାତି ।

ଘାଟୁ ଘାଟେ ଚାଲି ଚାଲି କେତେ ମୁହଁ କେତେ ହାତଛୁଇଁ

ନିରାଶେ ଓ ନିରାଶ୍ରୟେ ଆଖିପୋଛି ଆସିଚି ଲେଉଟି

ସବୁ ଆଶା, ସବୁ ସ୍ଵପ୍ନ, ସବୁ ନିଶା ଚୁନାହୋଇ ତାର

ଏବାଲୁକା ବଳୟରେ ମୁଠି ମୁଠି ଉଠୁଚି ଉକୁଟି ।

ସେଦିନୁ ଶୋଇଚି ସିଏ ଶୋଇଥିବ ଏଥି ଚିରକାଳ

ବାଲିର କବର ତଳେ ବ୍ୟର୍ଥ ଏକ ନାରୀର କଂକାଳ ।

 

କଟକ, ୧୯୫୭

 

ଛବିଶି

 

ରାତିର କତୁରୀ ଯେବେ କାଟିଯାଏ ଛାତିର କଲିଜା

ପୋଷ ପୋଷ ଲୁଣି ଲହୁ ଶିକ୍ତକରେ ଭିତର ବାହାର

ସହସ୍ର ସପନ ଫୁଲ ଝାରି ଦିଏ ସୁବର୍ଣ ପରାଗ

ସେତେବେଳେ ମନେପଡ଼େ ତମ ଆଖି ସଲିଳ ସମ୍ଭାର ।

ଲହୁ ଭଳି ଲାଲ ପୁଣି ଫୁଲ ଭଳି ବିନୀତ ଅଧର

ଧୀରେ ଥରେ ଚାପିନେଇ ମୋହର ଏ ବିକ୍ଷତ ବୁକୁରେ;

ଫୁଲି ଫୁଲି କହିଥିଲ ତୁନି ତୁନି ମୋର କାନେ କାନେ

“ଉଡ଼ି ଚାଲିଯିବା ଚାଲ୍ ପ୍ରାଣହୀନ ପୃଥିବୀରୁ ଦୁରେ !

ଆମରି କଳଂକ ହେବ ସଭ୍ୟତାର ପହିଲି କଙ୍କାଳ

ଆମରି ବିକ୍ଷତ ଛାତି ଗଢ଼ିଯିବ ବାଣୀ ପଦ୍ମବନ

ଆମରି ସ୍ଵେଦରୁ ପୁଣି ଜନ୍ମ ନେବ ସୁନାର ଧରଣୀ

ବିକଶିତ ହେବ ଆହା ଚକ୍ ଚକ୍ ସୂର୍ଯ୍ୟମୁଖୀ ମନ ।”

ସେଦିନୁ ଗଲାଣି ବିତି ବହୁରାତ୍ରି; ପ୍ରଭାତ; ପ୍ରଦୋଷ

ଚଞ୍ଚୁପଟେ ଚଞ୍ଚୁ ରଖି ସୀମାହୀନ ନୀଳ ନଭ ଦେହେ

ମିଶିପାରି ନାହିଁ ତମ ଡ଼େଣା ତୁଲେ ମିଳାଇ ମୋ ଡେଣା

ନୂତନ ପୃଥ୍ଵୀର ଘ୍ରାଣେ ରୋମାଞ୍ଚିତ ବିପୁଳ ସେନେହେ ।

କ୍ଷମାକର ପ୍ରିୟା ମୋର ଅସମାପ୍ତ ଏ ତମ କାମନା

ପୂର୍ଣ କରିବାକୁ ପ୍ରାଣେ ଶକ୍ତି ନାହିଁ, ନାହିଁ ଉନ୍ନାଦନା !

 

କଟକ, ୧୯୫୭

 

ସତାଇଶି

 

ଫଗୁଣ ଆସିଚି ଆଜି ମୁକୁଳିତ ଅଶୋକେ ପଳାଶେ

ଡ଼ାଳେ ଡ଼ାଳେ ଦୋଳି ଖେଳେ ଲେନ୍ଥି ଲେନ୍ଥି ପାତଳ ଅବିର

ଦୂରତମ ତୋଟା ମାଳେ ଝରିଯାଏ ମୁକୁଳ ମଞ୍ଜରୀ

ମୁଠି ମୁଠି ଶାଳ ଫୁଲେ ଲଘୁବାୟୁ କରଇ ଅଧୀର ।

ପରିପୂର୍ଣ ଯୌବନର ଉଚ୍ଛ୍ଵସିତ ମଦିର ମଳୟେ

ଏ କେଉଁ କାମନା ମୋର ଛାତି ତଳେ ମହକ ଲଗାଏ,

ଏ କେଉଁ ଦହନ ଜ୍ଜ୍ଵାଳା ତନୁମନ କରେ କଳୁଷିତ

ଏ କେଉଁ ଉନ୍ମଦକୀଟ ଅନୁକ୍ଷଣ ଝୁଣି ଝୁଣି ଖାଏ ?

ତୁମେ କଣ ଏଇଭଳି ରହି ରହି ଥରି ଥରି ଉଠ

ଏଇଭଳି ତମ ତନୁ ତମ ମନେ ଏକାନ୍ତ ଗୋପନେ

ନିଆଁର ଅବିର ଲାଗେ ଧୂଆଁ ହୁଏ ସ୍ଵପ୍ନର ସୁରଭି

ଏଇଭଳି ତମେ କଣ ଦହି ହୁଅ ପଳାଶ ଦହନେ ।

ତଥାପି ଜାଣେନି କିଆଁ ମାଘ ଶେଷେ ଫଗୁଣର ପଥ

ବିଦୀର୍ଣ ହୃଦୟ ଘେନି ଚାହିଁବାକୁ ଇଚ୍ଛା ଅବିରତ ।

କଟକ, ୧୯୫୬

 

ଅଠାଇଶି

 

ତୁମେ ଯଦି ଜାଣିନାହଁ ଶୁଣ ତେବେ ମୁଁ ଆଜି କହୁଚି

ଭାବିନି ଯା’ପାଇଁ କେବେ ନିଭୃତରେ (ଏକାନ୍ତ ଗୋପନେ);

ତାହାରି ପବିତ୍ରନାମେ ତରଳଇ ମନର ମହମ

ତାହାରି ପ୍ରେମାନୁରାଗ ଚହଲଇ ଶୟନେ, ସପନେ ।

ମୋ ଲାଗି ଭାବେ ସେ ଯେବେ ଖୋଲୁ ଖୋଲୁ ପ୍ରୀତିର ପୁଟୁଳି

ଝଡ଼ର ସଂକେତ ଲାଗି ଝଡ଼ିପଡ଼େ ସହସ୍ର କୁସୁମ

ନୟନର କାଳିନ୍ଦୀରେ ଢେଉ ନାଚେ, ଲବଣାକ୍ତ ଢେଉ

ରକ୍ତିମ କପୋଳ ହୁଏ ଅଶ୍ରୁଜଳେ କିଞ୍ଚିତ ଉସୁମ ।

 

କଟକ, ୧୯୫୬

 

ଊନତ୍ରିଶି

 

ତୀରଭଳି ପକ୍ଷୀଟିଏ ଚହଲାଇ ନୀଳିମ ଆକାଶ

ଝରକାର ଆରପାଖୁ ଉଡ଼ିଆସେ ତରତର ହୋଇ,

ମଖମଲି ଡ଼େଣାମୂଳ ଗୋଧୂଳିର କୁଙ୍କୁମେ ପଖାଳି

ଚଞ୍ଚୁପୁଟେ ଭରି ଏକରାତ୍ରି ଲାଗି ସାର୍ଥକ ମଣୋହି ।

ବୁଢ଼ିଆଣୀ ଜାଲବୁଣା କ୍ଷୁଦ୍ରଏକ କଡ଼ିର ଖୋଲରୁ

ପକ୍ଷିଣୀର ମୃଦୁକଣ୍ଠ ଶୁଣାଯାଏ ପାତଳ ଅନ୍ଧାରେ;

ଡ଼େଣାର କମ୍ପନ ଶୁଭେ, ଖସିପଡ଼େ ପୋକଖିଆପର

ସତେକି ଏ ଘର ଅଛି ସେ ଦୁହିଁଙ୍କ ପୂର୍ଣ ଅଧିକାରେ (?)

ତାପରେ, ଅଳନ୍ଦୁ ଶେଯେ ପାଖା ପାଖି ଲଗା ଲଗି ହୋଇ

ପରର ପେଲବ ଗାଲେ ଗାଲ ଥାପି ଗଭୀର ସୋହାଗେ

ଚାରୋଟି ସ୍ଵପ୍ନିଳ ଆଖି ଧୀରେ ଧୀରେ ମୁଦି ହୋଇ ଗଲେ

ଦୁଇଟି ବୁକୁର ବ୍ୟାଧି ଏକ ହୋଇ ଅନ୍ଧକାରେ ଜାଗେ

ତାପରେ କହୁଚି ଶୁଣ, ସାଇଁ ସାଇଁ ଗରଜଇ ନିଶା

ଆତୁରିଆ ପ୍ରାଣେ ଛୁଏଁ କେତେ ମନ-ମଞ୍ଜରୀ କମ୍ପନ

ସିମେଟ ଚଟାଣପରେ ଏକାକୀ ମୁଁ ଅନୁଭବ କରେ

ଅନାମିକା ପକ୍ଷୀ ଦୁହେଁ ଦେଖୁଥିବା ଅମୂଲ୍ୟ ସପନ ।

 

କଟକ, ୧୯୫୭

 

ତିରିଶି

 

କହିବି କହିବି ଭାବି ଆଜିଯାଏ ଯେ ଗୋପନକଥା

ରଖିଥିଲି ଏଇମୋର ଛାତି ତଳେ ସଭୟେ ସାଇତି

ସ୍ଵଭାବିକ କଣ୍ଠେ ଆଜି ଦେବାଲାଗି ତୁମକୁ ଜଣାଇ

ପାଶେମୋର ଡ଼ାକିଅଛି ସବିନୟେ-ସୁଜାତା ମାଇତି ।

ସେଦିନୁ ତ ଶୁଣିବାକୁ ଦିନରାତି କରୁଥିଲ ଅଳି

ଛାଇଭଳି ଆଗେ ପଛେ ଠିଆ ହୋଇ ନାଶିକା ଫୁଲାଇ

ନଖମୁନେ ଦଳି ଦଳି ପିନ୍ଧିଥିବା ଶାଢ଼ୀର ପଣତ

ଉତ୍ସୁକ ନୟନ କୋଣୁଁ ଥରେ ଥରେ ଆତୁରେ ଅନାଇଁ ।

ଆଜି ତାହା ଶୁଣ ତେବେ କହିଦିଏ ଅକୁହା ସମ୍ଵାଦ

ବେଦନାର ବିଷଦାନ୍ତ ଝଡ଼ି ପଡୁ ଉଲୁସାଇ ଛାତି

ନହେଉ ଏ ଜିଭତଳ ଆଉଥରେ ଆକୁଳେ ଅସ୍ଥିର

ଆଉ କେବେ ନଲାଗୁଗୋ ପ୍ରାଣେ; ମନେ ଦହନର ତାତି ।

ଏତକ କହିଲା ପରେ ତମେ କଣ ପାରିଲନି ଜାଣି

ଅସ୍ଥିର କରାଇ ମୋତେ ଅନୁକ୍ଷଣ କି ଅବ୍ୟକ୍ତ ବାଣୀ ?

କଟକ, ୧୯୫୬

 

ଏକତିରିଶି

 

ତମେ ମୋତେ ଦେଇଗଲ ଦୁଇଗୋଟି ମହନୀୟ ଦାନ-

ଗୋଟିଏ ପ୍ରଗାଢ଼ ପ୍ରେମ, ଅପରଟି ବ୍ୟଥାର ତୋଫାନ ।

କେଉଁଠି ରଖିବି ତାହା ? ପ୍ରତିଦିନ ଭାବିହୁଏ ବସି;

ଫେରାଇ ଦେବାକୁ କିନ୍ତୁ କେବେହେଲେ ପାରେନି ଭରସି ।

 

କଟକ, ୧୯୫୮

 

ବତିଶି

 

ଥରେ ନୁହେଁ, ବହୁଥର ଦରଜା ଝରକା

ଗଭୀର ରାତିରେ ଉଠି କରଇ ପରୀକ୍ଷା;

ସବୁବନ୍ଦ, ସବୁଠାରେ ଲାଗିଚି କଡ଼ିଆ

କେଉଁଠି ତ କିଛି ନାଇଁ ଖୋଲା ଓ ବଳକା ।

ଶେଜରେ ଶୁଣଇ ଆସି କାନ ଦୁଇ ବୁଜି

ଭଲକରି ତକିଆରେ, ତଥାପି ତୁମର

ସେତାର ସଂଗୀତଭଳି କରୁଣ ବିଳାପ

କିପରି ବାଜଇ ମନେ ପାରେ ନାହିଁ ବୁଝି !

ଚାରିଆଡ଼େ ଗୁରୁ ଗୁରୁ ଅନ୍ଧାର ଗୁମରେ

ଆଖି ବୁଜି ଶୋଇବାକୁ ବହୁ ଚେଷ୍ଟା କରି

ପାରେ ନାହିଁ, ଥର ଥର ନିଦ ଭାଙ୍ଗି ଯାଏ

କେବଳ ତୁମରି କାନ୍ଦ ମର୍ମରେ ମର୍ମରେ ।

 

ଅନଗୋଳ, ୧୯୫୮

 

ତେତିଶି

 

 

ରାତି କ୍ରମେ ଗାଢ଼ ହୁଏ । ପାହାଡ଼ର ହାଡ଼ ଚିରି ଚିରି

ମସୀ ନଦୀ ବହିଆସି ଧୋଇଦିଏ କାନନ କାନ୍ତାର

ରଜନୀଗନ୍ଧାର ବନେ କୁନ୍ଦ ଶୁଭ୍ର ପ୍ରସ୍ଫୁଟ କଳିକା

ଚାହିଁ ଚାହିଁ ଶୂନ୍ୟାକାଶେ ଦୀର୍ଘଶ୍ଵାସ ଛାଡ଼େ ବାର ବାର ।

 

 

ହୃଦୟର ପାନ ପାତ୍ରୁ ଦୁଇ ଗୋଟି ଚଟୁଳ ଅଧରେ

ଲାଗିଥିଲା ଯେ ଉତ୍ତାପ, ଆଜି ତାହା ବିନ୍ଦୁ ବିନ୍ଦୁ ହୋଇ

ଅଶ୍ରୁର ଶ୍ରାବଣ ରୂପେ ଜମିଉଠେ ନୟନ ବିତାନେ-

ଜୀବନର ଅଇଶ୍ଵର୍ଯେ ଦେବାଲାଗି ସବୁ କ୍ଷତ ଧୋଇ ।

 

ଅନଗୋଳ, ୧୯୫୮

 

ଚଉତିରିଶି

 

ବିଦୂର ଆକାଶେ ଦେଖେ ନଭଚାରୀ ଚଢ଼େଇର ସୁଅ

ଦାନା ଖୋଜି ଛୁଟିଯାଏ ଦିଗନ୍ତର ଅଜଣା ଅଙ୍ଗନେ;

ଇଚ୍ଛାହୁଏ କ୍ଷୁଦ୍ର ଏକ ପକ୍ଷୀଭଳି ଯିବାଲାଗି ଉଡ଼ି,

ଆଲୋକ କଣିକା ଖୋଜି ଦୂରେ ଦୂରେ ସୁନୀଳ ଗଗନେ ।

ପ୍ରତିକ୍ଷଣେ ପ୍ରତିଦଣ୍ତେ ଇଥରର ଢ଼େଉ ଚହଲାଇ,

ଡ଼େଣାର କମ୍ପନେ କାଟି ଶ୍ଵେତ ପକ୍ଷ ବିନମ୍ର ବାଦଲ

ଇଚ୍ଛାହୁଏ ଆଗକୁ ଯିବାକୁ ଉଡ଼ି ଯେଉଁଠାରେ ନିତି

ସରୁ ସରୁ ଚାଇଁ ଖରା ବର୍ଣକରେ ସର୍ବଦା ବଦଳ ।

ତମେ ଗୋ ମାଟିର କନ୍ୟା, ଧରଣୀର କଠିନ ଅଙ୍ଗନେ

ପଛକୁ ଟାଣୁଚ ମୋତେ । ଅନୁକ୍ଷଣ ତମରି ମମତା

ମୁଗ୍‌ଧ କରେ ତନୁମନ, ଗୁଗୁଚିଆ ଫୁଲର ପାଖୁଡ଼ା

ସ୍ନିଗ୍‌ଧକରେ ପାଦ ଦୁଇ-କାନେ କହେ ଶ୍ୟାମଳ ବାରତା ।

ଆଖିରେ ବିଦୂର ଦୀପ୍ତି, ହୃଦୟରେ ନୀଡ଼ର ସୋହାଗ

ଅନୁଗତ କରିଅଛି ଋଣଦେଇ ପ୍ରେମର ପରାଗ ।

ଅନଗୋଳ, ୧୯୫୮

 

ପଇଁତିରିଶି

 

ପାଟଳି କୁଟଇ କମ ପିଆଜି ପଣତେ,

ଶେଫାଳି ମରୁଜ ଲେଖେ ସୁବର୍ଣ ଖରାରେ;

ଜୀବନର ପାନ ପାତ୍ରେ ଶସ୍ୟ ସୁଧା ଭରି

ଶରତ ଓହ୍ଲାଇ ଆସେ ପ୍ରସନ୍ନ ଧରାରେ ।

ତମେତ ଆସିଲ ନାହିଁ ? ସମଗ୍ର ଦିନର

ପାଣ୍ତୁଲିପି ଯାଏ ହଜି ପଶ୍ଚିମ ଆକାଶେ;

କାଶ ଶୁଭ୍ର ହସ ହସି ଦେଖାଦିଏ ଶଶୀ

ତରଳ ରୂପେଲି କଇଁ ବିଭ୍ରମ-ବିଳାସେ ।

ତମପଥ ଚାହିଁ ଚାହିଁ ଭାବେ ମନେ ମନେ,

ଅଳସ ନିଃଶ୍ଵାସେ ମୋର ଥରି ଥରି ଉଠେ

ଦରଫୁଟା ଜିନିଆର କୋମଳ ପାଖୁଡ଼ା;

ରାତି କ୍ରମେ ଘନ ହୁଏ ତରୁର ମୁକୁଟେ ।

ରାତି କ୍ରମେ ଘନ ହୁଏ ନିଃସଙ୍ଗ ଶଯ୍ୟାରେ

ଶୋଇ ଶୋଇ ଗଣେ ଖାଲି ବରଗା ଓ କଡ଼ି;

କ୍ଳାନ୍ତ ପତା ନଇଁ ଆସେ ପାହାନ୍ତା ପହରେ

ଝରି ପଡ଼ୁଥାଏ ଯେବେ ଶେଫାଳିର କଢ଼ି ।

ଶୋଇବାକୁ ଚେଷ୍ଟା କରେ, ଆସେ ନାଇଁ ନିଦ,

ସହସ୍ର ହିରଣ୍ୟ-ଶୀର୍ଷ ନାଗ ମାରେ ଚୋଟ

ଦେହେ ମନେ ଅନୁକ୍ଷଣେ; ଆଖି ଖୋଲି ଚାହେଁ

ଉଷାର କପାଳେ ଝଳେ ଆଲୋକ ମୁକୁଟ ।

 

ଅନଗୋଳ, ୧୯୫୮

 

ଛତିଶି

 

ବଜାର ହାଟରେ ତମ ନାମେ ବାଜେ ନିତି ଅପବାଦ ନାଗରା

ତମକୁ କହନ୍ତି ସକଳେ ସଜନୀ ଚରିତ୍ରହୀନା ମହିଳା,

କୂଳବଧୂ ଯେତେ ଠୁଳହୋଇ ସବୁ ଆଳାପ କରଁତି ଗୋପନେ

ତମରି ପାଇଁକି ଏବେଠାରୁ ମୁହଁ ତଳକୁ ନିଶ୍ଚେ ହୋଇଲା ।

ତମରି ନାଆଁର ଅଗ୍ନି ପରଶେ ସୀତା-ସାବିତ୍ରୀ ଦେଶରେ

ସତୀ ଶଦ୍ଦର ଗୁରୁ ଗଉରବ ତିଳେହେଲେ ନାହିଁ ଆଉ ଗୋ

ତମରି ପ୍ରେମର ଖର ବନ୍ୟାରେ ରୁଗ୍‌ଣ ସମାଜ ଆମର

ଧୂଳି ଘର ଭଳି ଭୁସୁଡ଼ି ପଡ଼ଇ; ରହିବାକୁ ନାହିଁ ଠାଇଁ ଗୋ ।

ସବୁ ବୁଝି ଆଉ ସବୁ ସହି ତୁମେ ମଉନାବତୀ ଗୋ ମହିଳା

ପ୍ରତିବାଦେ ତାର ଦେଇଥାଅ ବୁଣି ତରଳ ହସରୁ ଚେନାଏ

ଛୋଟ ଭୀରୁ ହାତେ ମାପିବସେ ଯିଏ ଜୀବନ ଗୋଟାଏ ଚଉଡ଼ା

ତା ଲାଗି ବି ତମ ହୃଦେ ଢଳ ଢଳ ସହାନୁଭୂତିରୁ ଟୋପାଏ ।

ପ୍ରେମର ଛିଦ୍ର-କଳସୀ ଓଦାଏ ପୀନ ବକ୍ଷର ବସନ

ଗୋପ ପଥ ପରି ରାଜପଥ ପରେ ଚାଲିବାକୁ ଲାଗେ ଲାଜ ଗୋ,

ଧାରଣା ବଦ୍ଧ ପୃଥିବୀ ଆମର ମୋଟ ମନ ଛୋଟ କଥାରେ

ରଟନା କରଇ ଶତ ଅପବାଦ, କୋଟି ଅନୁଯୋଗ ଆଜ ଗୋ !

 

କଟକ, ୧୯୫୮

 

ସଇଁତିରିଶି

 

ସକଳେ କହନ୍ତି ତମେ ଅତି ଛୋଟ, ନିହାତି ନଗଣ୍ୟ

କଳିପ୍ରିୟ, ସ୍ଵାର୍ଥପର, ଆପଣାର ଜଂଜାଳେ ନିମଗ୍ନ ।

ରୂପର ଚମକ ବିନା ତମଠାରେ ନାହିଁ ଆଉ କିଛି

ଦୁନିଆଁକୁ ଦେଲାଭଳି । ଏତେ ଦିନ ମୁଁ ଖାଲି ଦେଖିଛି

ତମେ ପୃଥିବୀର ଏକ ପରିପୂର୍ଣ୍ଣ ଜୀବନ୍ତ ମଣିଷ,

ତମରି ଅଧରେ ଅଛି ଏକା ସାଥେ ଅମୃତ ଓ ବିଷ ।

ମୋହିନୀ ମହିଳା ଭଳି ଦେବାସୁର ସାଗର ମନ୍ଥନେ

ସୁଧା ତମେ ପରଶିଚ କାଳକୂଟ ସହିତ ଗୋପନେ ।

 

କଟକ, ୧୯୫୮

 

ଅଠତିରିଶି

 

ଋଦ୍ଧଏ ମନ୍ଦିର ଦ୍ଵାର ଭଲ ରୂପେ ତାହା ମୁଁ ଜାଣୁଚି

ତଥାପିତ ବାରମ୍ଵାର ସ୍ପର୍ଶାତୁର କର ପତାଉଚି;

ପ୍ରାଣ ନାହିଁ, ଦେହ ନାହିଁ, ନାହିଁ ମୋର ମାନ ଅପମାନ

ତଥାପି ଅଶ୍ରୁଳ ପଥେ ଖୋଜୁଅଛି ଅମୂଲ୍ୟ ସମ୍ମାନ ।

 

ଅନଗୋଳ, ୧୯୫୯

 

ଊନଚାଳିଶି

 

ତମେ ଯଦି କେବେ ଏଇ ଫଗୁଣର ଗୋଧୂଳ ଆକାଶୁ

ତରଳ ସୁନେଲି ମେଘ ଚୋରୀକରି ଗଢ଼ିବ ଖେଳନା;

ଚିକ୍ ଚିକ୍ ରାଜାପୁଅ ନାଇଥିବ ଜରିର ମୁକୁଟ,

ଛନ ଛନ ରାଜାଝୁଅ କନକନ ଖଞ୍ଜନ ନୟନା ।

ତାପରେ ଅନ୍ଧାର ହେଲେ ଫିଙ୍ଗିଦେବ ଦୂରକୁ ଦୂରକୁ

ଦୁଇଟି ଖେଳନା ଯିବ ଚାହୁଁ ଚାହୁଁ ଅନ୍ଧାରରେ ମିଶି

ଅନାଇ ରହିବ ତମେ ବାତାୟନେ ଆଖି ଦୁଇ ଥାପି

କେତେବେଳେ ପ୍ରଭାତିବ ମାଧବୀର ମଧୁଗନ୍ଧା ନିଶି ।

ଉଦୟ ତୋରଣେ ଯେବେ ଉଷା ଦେବ ସୁନେଲି ଗୋଚିନ ।

ତମେ ସେଇ ସୁନା ଘେନି ଆଉ ଥରେ ଗଢ଼ିବ ଖେଳନା;

ଆଉ ଥରେ ରାଜା ପୁଅ ଶିରେ ଦେବ ଜରିର ମୁକୁଟ

ଆଉ ଥରେ ରାଜା ଝୁଅ ଛନ ଛନ ଖଞ୍ଜନ ନୟନା ।

ସେତେବେଳେ ତମେ କଣ ପ୍ରିୟତମା ପାରିବ ନିରେଖି

ଅତୀତର ରାଜା ପୁଅ ଅଙ୍ଗରାଗ ରାଜା ଝୁଅ ଦେହେ

କିପରି ଯାଇଚି ମିଶି, ରାଜାଝୁଅ ଚପଳ ଚାହାଣୀ

ରାଜା ପୁଅ ନୟନରେ କ୍ରୀଡ଼ା କରେ ଅତୁଳ ସେନେହେ ?

 

ଅନଗୋଳ, ୧୯୫୯

 

ଚାଳିଶି

 

ପ୍ରଭାତ ଆକାଶ ସଖି ତୋ ଅଧର ସମ

ଢଳ ଢଳ ଲାଜ-ରକ୍ତ ନିଟୋଳ ନରମ,

ମୁଁ ମୁଗ୍‌ଧ ବିହଗ ଏକ ଗାଇ ତାର ଯଶ

ଏ ଜୀବନ ଯାତ୍ରା-ପଥ କରଇ ସରସ ।

 

କାମାକ୍ଷାନଗର, ୧୯୬୦

 

ଏକଚାଳିଶି

 

ଯେତେବେଳେ ଏ ପୃଥିବୀ ନିଦ୍ରାଗତା, ଗରଜଇ ନିଶା,

ସେତେବେଳେ ପ୍ରାଣେ ପ୍ରାଣେ ମୁଁ ଲୋଡ଼ୁଚି ସାନିଧ୍ୟତୁମରି;

ମୁଁ ଲୋଡ଼ୁଚି ତୁମରି ସେ ପ୍ରୀତି ପୂତ ସ୍ନେହମୟ କୋଳେ

ସରଳ ଶିଶୁଟି ଭଳି ଯିବାଲାଗି ସକଳ ବିସ୍ମରି ।

ତୁମରି ଅଞ୍ଚଳ ତଳେ ମୁହଁ ପୋତି ଭୁଲିଯାଏ ସଖି

ଦୁନିଆର ଲାଭକ୍ଷତି, ଭଲମନ୍ଦ, ଧାଇଁ ଧରଷଣ,

ମଣିଷର ଛୋଟବଡ଼ କ୍ଷତ, ଦାହ, ଲଜ୍ଜା, ଶାଳୀନତା,

ପ୍ରିୟତମ ପୃଥିବୀର ଅବାଞ୍ଛିତ ଅଜସ୍ର କଷଣ ।

କର୍ଦମାକ୍ତ ଏଜୀବନେ ବରଦାୟିତମେ ତାମରସ,

ଅନୁକ୍ଷଣେ ବିତରୁଚ ରସଶିକ୍ତ ସୁବାସ ଚନ୍ଦନ;

ଅବହେଳା ହୀନ ତୁମ ପ୍ରେମେ ଅଛି ପରମ ଆଘାତ,

ଅଛି ତହିଁ ପ୍ରାଣମୟ ରୋମାଞ୍ଚିତ ସୁତୀବ୍ର ଦହନ ।

ଦୁର୍ବିଷହ ଦୁନିଆଁରେ ମୁହିଁଜାଣେ, ମୁହିଂ ଜାଣେ ପରା,

ତମେହିଁ ରସର ଉତ୍ସ, ପ୍ରଣୟର ଉତ୍‌କଣ୍ଠ ମଦିରା !

 

ଅନଗୋଳ, ୧୯୬୦

 

ବୟାଳିଶି

 

ଆଉ ପାରୁନାହିଁ ଆପଣାକୁ ବୋଧ କରି

ଆଉ ମାନୁ ନାହିଁ ମନ ମୋର ନୀତିକଥା,

ତମକୁ ପାଇଚି ଗଭୀରୁଁ ଗଭୀରେ ଆଜି

ସେଇଥିରେ ମୋର ସପନର ସାର୍ଥକତା ।

ଦୁଇକାନ ଏବେ ବଧୀର ହୋଇଚି ମୋର

କିଏ କିସକହେ ଶୁଣିବାକୁ ବେଳ ନାହିଁ,

ମୁଁ ଆଜି ଶୋଇଚି ପ୍ରଣୟର ଶରାସନେ

ଆତୁରେ ଝୁରୁଚି ସେନେହ ଟୋପାଏ ପାଇଁ ।

ବାହାର ଦୁନିଆଁ ବାହାରେ କଚାଡ଼ୁ ମଥା-

ସେଥିଲାଗି ନାହିଁ ତିଳେହେଲେ ମୋର ଭୟ;

ମୁଁ ପରାଲୋଡ଼ୁଚି ହୃଦୟର ସୁଖ-ଶିରୀ,

ନିବିଡ଼େ ଖୋଜୁଚି ଅନ୍ତରର ପରିଚୟ ।

 

ଅନଗୋଳ, ୧୯୬୦

 

ତେୟାଳିଶି

 

ମୋ ମନ ବୀଣାର ଯେତେ ଛୋଟବଡ଼ ବିରହ ସଙ୍ଗୀତ

ତମକୁ ଦେଖିଲାପରେ ଗୋଟି ଗୋଟି ଭୁଲ ହୋଇଯାଏ,

ଭୁଲ ହୁଏ ରାଗ ଆଉ ରାଗୀଣୀର ସଂକେତ ସମ୍ମାନ

ସ୍ମୃତିର ଖୋଳପା ଗୋଟି ବିସ୍ମୃତିର ସାଗରେ ମିଳାଏ ।

ଏଇକେତେ ଦିନ ହେଲା ମନେହୁଏ ନିତି ଦେଖି ଦେଖି

ତମରି ମୋହିନୀ ବନ୍ଧା ଉତ୍ତରୀର ଅର୍ଥହୀନ ଢ଼େଉ,

ଆଉ ତମ ଅଧରର ଉଚ୍ଛ୍ଵସିତ ଦୀପ୍ତ କମଣ୍ତଳୁ,

ଦେଖିବାକୁ ଏ ଆଖିରେ ବେଶ୍ କିଛି ନିଶା ଅଛି ଆଉ ।

ତମେ ଏଇ ମୂର୍ତିକାର ପରିତ୍ୟକ୍ତ ମଧୁର ମହିଳା,

ତମରି ଭିତରୁ ଖୋଜେ ଏବେ ମୋର ହଜିଲା ରତନ

ତମକୁ ଅଘ୍ରାଣକରି ଭୁଲିବାକୁ ଚାହେଁ ଅନୁକ୍ଷଣେ

ମନର ଦହନ ଜ୍ଵଳା କୀଟଦଷ୍ଟ କିଂଶୁକ ଯୌବନ ।

ସେଥିପାଇଁ ଭୁଲି ସବୁ ଶିକ୍ଷା ଦୀକ୍ଷା ସମାଜ ବନ୍ଧନ

ଗଭିରୁ ଗଭିରତର ତମକୁ ମୁଁ କରେ ଆଲିଙ୍ଗନ ।

 

ଅନଗୋଳ, ୧୯୬୦

 

ଚଉରାଳିଶି

 

ରାତିର କପୋଳେ ଦେଲେ ଗୋଟିଏ ଚୁମ୍ଵନ

ଥରି ଥରି ହୁଏ ତାହା ସୁବର୍ଣ ପ୍ରଭାତ

ହସି ହସି ହସାଏ ସେ ସହସ୍ର ବଲ୍ଲରୀ

ସବୁରି ମସ୍ତକେ ଛୁଇଁ ସ୍ନେହ ମୟ ହାତ ।

ବଲ୍ଲରୀ ଗ୍ରୀବାରେ ଦେଲେ ଗୋଟିଏ ପରଶ

ଝୁଲି ଝୁଲି ହୁଏ ତାହା ପ୍ରଣୟର ଦୋଳି

ଖେଳାଏ ମଳୟାନିଳେ ବିକଚ ମଞ୍ଜରୀ

ସବୁଜ ବୃନ୍ତର ପୁରେ ପ୍ରୀତିର ଆର୍ଦେଳି ।

ତମରି ଚୁମ୍ଵନ ଆଉ ତମରି ପରଶ

ବିକଶାଏ ପ୍ରତିଦିନ ଯେ ପୂଣ୍ୟ-ପ୍ରଭାତ

ଦୋହଲାଏ ଅନୁଷଣେ ଯେ ମନ ମଞ୍ଜରୀ

ହୃଦୟ-ଅମ୍ଵରେ କରେ ଯେ ବିଭା ସଂପାତ;

ତାହାର ତୁଳନା ନାହିଁ, ନାହିଁ ତାର କିଛି ଉପମାନ

ନିଜକୁ ନିଜେସେ ଦିଏ ସବୁଠାରୁ ଅମୂଲ୍ୟ ସମ୍ମାନ ।

 

ଅନଗୋଳ, ୧୯୬୦

 

ପଇଁଚାଳିଶି

 

କ–

 

ଜରୀ ଆଉ ଶୋଲେ ଗୁନ୍ଥା ଝିଲି ମିଲି ଆଖି ଝଲସିଆ

ପାଖୁଡ଼ାରେ ଜମିଥିଲା ଧୂଳି-ଧୂସ-ଅଳନ୍ଦୁ-ଅଳିଆ;

ଖରା ବର୍ଷା ଶୀତ ଖାଇ ରୂପମୋର ହୋଇଥିଲା ମ୍ଳାନ,

ମୁଁ ଏକ କାଗଜ ଫୁଲ, ମୁହିଁ ଏକ ବିଡ଼ମ୍ଵିତ ପ୍ରାଣ ।

 

ଖ–

 

କିଏ ତୁମେ ମହିୟସୀ, ଆଦରରେ ମୋ ଧୂଳି ଝାଡ଼ିଲ,

ସୁନାର ଆଙ୍ଗୁଳି ଚାଳି ପାଖୁଡ଼ା ମୋ ନିତ୍ୟ ସଜାଡ଼ିଲ,

ଜୀର୍ଣ ଦେହେ ଭରି ଦେଲ ଶୁଭଙ୍କର ଫେନିଳ ଜୀବନ,

ଅନୁଭବ କରାଇଲ ହୃଦୟର ଦୁର୍ବାର କମ୍ପନ ?

 

ଗ–

 

ଆଉ ମୁଁ ନିରାଶ ନୁହେଁ, ନୁହେଁ, ମୁହିଁ ଆଉ ନିରାଶ୍ରୟ

ମୋ ପାଇଁ ଝୁରୁଚି ପରା ଅନ୍ୟ ଏକ ବିଦଗ୍‌ଧ ହୃଦୟ;

ମୋ ପାଇଁ ସେ ବିତରୁଚି ମଧୁଗନ୍ଧ ଚିତ୍ତ ବିମୋହନ,

ଏ ସୃଷ୍ଟିର ମହା କାବ୍ୟେ ଶୁଣାଉଚି ତା’ର ସଂବୋଧନ !

 

ଅନଗୋଳ, ୧୯୬୦

 

ଛୟାଳିଶି

 

ଦୁଇଟି ଆଖିର ବ୍ୟଥା କବାଟର ସଂକୀର୍ଣ ପଥରେ

ଧୀରେ ଧୀରେ ଝରି ଝରି ମିଶିଗଲା ରାଜପଥ ପରେ;

ଆଉ ମୁଁ ଫେରିଲି ନାହିଁ, ଚାହିଁଲିନି ପଛକୁ ଲେଉଟି,

ଆଉ ମୁଁ ଘେନିଲି ନାହିଁ ସେ ବ୍ୟଥା ମୋ ବକ୍ଷରେ ସାଉଁଟି ।

ଗୋଟିଏ ପ୍ରୀତିର ଫୁଲ ପ୍ରଭାତର ଶୀତଳ ସମୀରେ

ଖେଳୁ ଖେଳୁ ଝରିପଡ଼ି ମିଶିଗଲା ବିକଳେ ମାଟିରେ;

ଆଉ ମୁଁ ପାରିଲି ନାହିଁ ସେ ଫୁଲର ସଉରଭ ଧରି

ଏ ଦେହର ପ୍ରତି ଅଙ୍ଗେ, ପ୍ରତି ଲୋମେ ସକଳ ବିସ୍ମରି ।

ଶତ ଅପବାଦ ବହି ଶିରପରେ ପ୍ରଣୟ ବାଧିକା

ସଜଳ ନୟନେ ଝୁରେ ବହୁ ଦୂରେ ପ୍ରାଣର ରାଧିକା,

ନିତି ଜଳେ ତିଳେ ତିଳେ କାମଜାନ ପଳାଶ ଦହନେ

ନିତି ଝୁରେ ମାନେ ମାନେ ବ୍ୟାକୁଳିତ ମନର ଗହନେ ।

ସେ ଯେ ମୋର ଗ୍ୟାଲାସିଆ; ତନୁ ତାର ମୋ ମର୍ମେ ମୁଦ୍ରିତ,

ତା ସ୍ମୃତିର କଶାଘାତେ ପ୍ରତିଅଙ୍ଗ ହୁଏ ଜର୍ଜରିତ ।

 

କାମାକ୍ଷାନଗର, ୧୯୬୦

 

ସତଚାଳିଶି

 

ସଜାଡୁ ସଜାଡ଼ୁ ଯୋତା ପ୍ରିୟତମା କରଇ ଆକଟ-

ହୋଇ ନାହିଁ ଗାଡ଼ି ବେଳ ହୁଅକିମ୍ପା ଏତେ ତରତର ?

ଯିବା କଥା ଯଦି ତମ, କହୁଚିତ ଆଜିନିଶ୍ଚେ ଯିବ;

ଆଗରୁ ଅଥୟକିମ୍ପା ? ମୁହୂର୍ତଟେ ହେଲେ ଥୟଧର !

ଶୁଣିଥିଲି ଶିଳ୍ପୀହେଲେ କିଛି କିଛି ଥାଏ ପାଗଳାମୀ,

ଅନୁଭକ କରେ ଏବେ ତମେ ସତେ ଏଡ଼ିକି ପାଗଳ ?

ସବୁ କଥାଲାଗିହୁଅ ତର ତର, ତୁଚ୍ଛା ତର ତର-

ଚୋରା ପରିମଳ ପରି ଅନୁକ୍ଷଣ ରଭସ ଚପଳ !

ଗୋଟିଏ ମୁହୂର୍ତ ଆମ ହେଉ ଯେତେ ହେୟହୀନ ଅତି

ମୋନିକଟେ ଅଟେତାହା ସବୁଠାରୁ ଅତି ମୂଲ୍ୟବାନ,

ମୁଁ ଲୋଡ଼ଇ କରିବାବୁ ସେ ମୁହୂର୍ତେ ସର୍ବଦାସାର୍ଥକ

ଦିଏ ମୁଁ ତାହାକୁ ମୋର ପ୍ରଣୟର ସର୍ବୋଚ୍ଚ ସମ୍ମାନ !

ବାହୁଡ଼ି ଯିବତ ତମେ, ଏହାସତ୍ୟ ଦିବାଲୋକ ପରି;

ମୋର ଚାରି ପାଖେ ହାୟ ରଖିଯିବ ସ୍ମୃତିର ପ୍ରହରୀ !

 

କାମାକ୍ଷାନଗର, ୧୯୬୦

 

ଅଠଚାଳିଶି

 

ମୋର ଅନୁରୋଧରଖି ଆଉଯମା ଆସିବନି ତମେ,

ତମଲାଗି ନିତି ନିତି ସଢ଼ି ଯାଏ ଗଭୀର ସରମେ;

ବାଟଚାଲି ପାରେ ନାହିଁ… ପାଦ ଦୁଇ ଛନ୍ଦି ହୋଇଯାଏ

ଥର ଥର ଅପବାଦ ଶୁଣିବାକୁ ସାହସ ନଥାଏ ।

କହିଲ ପାଉଚ କିସ ? ବାର ବାର ଏଠାକୁ ଆସୁଚ

ତନୁ ତଳେ ଅକାରଣେ ଅତନୁର ନିଆଁ ଜଳାଉଚ;

ମୁଁ କି ତାହା ଦେଖୁ ନାହିଁ, ପାରୁ ନାହିଁ ଅନୁଭବକରି,

ଭାବିଚକି ମୋତେ ତମେ ସାତ ସାନ ଟିକି ପିଲା ପରି ?

ସହିବି କେତେ ମୁଁ ଆଉ ଅତିହୀନ ମଣିଷମହଲେ

ତମନାମେ ସବୁବେଳେ ସବୁ ଥାନେ ଆଲୋଚନା କଲେ;

ତମେ ଯାହା ନୁହଁ, ତାହା ଶୁଣିବାକୁ ମୋର ଇଚ୍ଛା ନାହିଁ

ଆସିବନି ଆଉ ତମେ କେବେହେଲେ ଏମୋର ଦୋହାଇ !

-ଗଭୀର ଆଶ୍ଳେଷେ ଥାଇଁ କହୁ କହୁ ଓଠ ଉଠେ ଥରି,

ଲୁହର ଲହରୀ ଯାଏ ଆଖିପତା ଉପରେ ପହଁରୀ,

ନାଲି ହୁଏ ନାକ ପୁଡ଼ା; ମନେହୁଏ ପ୍ରେୟସୀ ମୋହର

ସତେକି ସପନ କଢ଼ି ଝଡ଼ କୋଳେ ହୁଏ ଥର ଥର ।

 

କାମାକ୍ଷାନଗର, ୧୯୬୧

 

ଊନଚାଶ

 

ସହଜ ଜୀବନ ନଦୀ, ଗତିତାର ଆହୁରି ସହଜ,

ମରଣ-ସାଗର ଲାଗି ଛୁଟିଚାଲେ ସେଯେ ଅନିବାର;

ଆବର୍ତ ନର୍ତନେ କିଆଁ ଗଢ଼ି ଭାଙ୍ଗି ସୁଖର ସପନ

ଲଙ୍ଘିଚାଲେ ବେଳେ ବେଳେ ବନ୍ୟାରସେ ବେନି ସୀମାତାର ?

ସବୁଜାଣି, ସବୁ ବୁଝି ବେଳେ ବେଳେ ଅତି ବାଧ୍ୟମନ

ହୁଏ କିଆଁ ସବୁଠାରୁ ଦୁର୍ବିନୀତ, ଅତ୍ୟନ୍ତ ଅବୋଧ;

ଭୁଲି ସବୁ ଶିକ୍ଷା ଦୀକ୍ଷା, ସାମାଜିକ ଆଚାର ବିଚାର

ପ୍ରିୟତମ ତନୁପରେ ନିଏ କିଆଁ କ୍ରୁର ପ୍ରତିଶୋଧ ?

ପ୍ରାଣର-ପ୍ରସୂନ-ରେଣୁ ଆପଣାର କସ୍ତୁରୀ ଗନ୍ଧରେ

ଜାଳେ କିଆଁ ବେଳେ ବେଳେ ପ୍ରତି ଅଙ୍ଗେ ବାସନା-ଅନଳ;

ଫନିଳ ଶୋଣିତ ସ୍ରୋତେ ଗୋଳି ଦିଏ ତୀବ୍ର ଉଚାଟନ,

ଅନ୍ଧସମ ଲୋଡ଼ିବୁଲେ ଆପଣାର ଅନନ୍ତ ସମ୍ଵଳ ?

ଏହି କି ଜୀବନ ସଖି ? ଏହି କିଗୋ ମନର ମହୁରା ?

ଏହିକି ସୃଷ୍ଟିର ପାତ୍ରେ ଏ ପ୍ରାଣର ବର୍ଣହୀନ ସୁରା ?

 

କାମାକ୍ଷାନଗର, ୧୯୬୧

 

ପଚାଶ

 

ରିକ୍ତ ପାତ୍ରେ ଶିକ୍ତକରି ଯୌବନର ଉଚ୍ଛ୍ଵସିତ ସଧୁ…

କାଲିଥିଲ ପ୍ରିୟତମା, ଆଜିହେଲ ସୋହାଗିନୀ ବଧୂ !

ଆଜିଏ ପବିତ୍ରପୁରେ ତମ ଯୁଗ୍ମ-କାନ୍ତ-ଅଧରର

ବ୍ୟାକୁଳ ବାସନା ସ୍ରୋତ ଛୁଇଁଅଛି ଏମୋର ଅଧର,

ପ୍ରୀତି ପାତ୍ରୁଁ ବିନ୍ଦୁ ବିନ୍ଦୁ ଢ଼ାଳି ଢ଼ାଳି ସୁରସ ମଦିରା

ଏ ଅଙ୍ଗନ…ଏ ରଜନୀ…କରିଅଛ ଅନଙ୍ଗେ ଅଧୀରା ।

ଅମାବାସ୍ୟା ରଜନୀର ରନ୍ଦ୍ରହୀନ ଅନ୍ଧକାରେ ସତୀ

ଦରିଦ୍ର କବିର କରେ ଭରିଅଛ ପରମ ସଂପତ୍ତି;

ଅକୁଣ୍ଠିତେ ଦାନକରି ତମରି ଏ ଦେହ-ମନ-ପ୍ରାଣ

ଲୋଡ଼ିଚ ବାସର ପୁରେ କାମନାର ଚରମ ନିର୍ବାଣ ।

କାଲିକାର ମଧୁମତୀ, ଆଜିତମେ ପ୍ରଣୟ-ପରମା

ପ୍ରାଣ ଦେବାଳୟେ ମୋର ପ୍ରୀତି-ପୂତ-ପତ୍ନୀ-ନିରୂପମା !

 

କାଳିକାପୁର, ୧୯୬୧

Image